ସେଦିନ ଶୋଭିତ୍ ର କଲେଜରେ ପ୍ରଥମ ଦିନ। ନିଜ ସହର ଛାଡ଼ି ନୂଆ ଆସିଥିବାରୁ ତା'ର ସେଠି କେହି ପରିଚିତ ନଥିଲେ। ନିଜକୁ ଖୁବ୍ ଏକା ଲାଗୁଥିଲେ ବି ତା' ଲକ୍ଷ୍ୟ ପୂରଣର ଇଚ୍ଛା ତାକୁ ପ୍ରେରଣା ଯୋଗାଇଥିଲା ପରିସ୍ଥିତି ସହ ଖାପଖୁଆଇ ଚଳିବାକୁ। ପ୍ରଥମ କରି ସେ କଲେଜର ଏତେ ବଡ଼ ଅଡିଟୋରିୟମରେ ଯାଇ ବସିଲା ଯେଉଁଠି ନୂଆ ଆସିଥିବା ଛାତ୍ର ଛାତ୍ରୀମାନଙ୍କ ପାଇଁ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ କରାଯାଇଥିଲା। କିଛି ସମୟ ଏକାକୀ ବସିବା ପରେ ପାଖରେ ଥିବା ପିଲାଙ୍କ ସହ କଥା ହେଇ ସାଙ୍ଗ ହେବାକୁ ଚେଷ୍ଟା କଲା। ଠିକ୍ ସମୟରେ ଉତ୍ସବ ଆରମ୍ଭ ଓ ଶେଷ ହେଲା। ଏହି ଉତ୍ସବରେ ସେ ଗୋଟିଏ ଭଲ ସାଙ୍ଗ ପାଇଗଲା ତା' ନାଁ ମୋହିତ୍। ସୌଭାଗ୍ୟକୁ ସେମାନେ ହଷ୍ଟେଲରେ ଗୋଟିଏ ରୁମରେ ବି ରହିଲେ।
ଶୋଭିତ୍ +୨ରେ ଭଲ ନମ୍ବର ରଖି ପାସ୍ କରିଥିବାରୁ ଏବଂ ଏଣ୍ଟ୍ରାନ୍ସ ପରୀକ୍ଷାରେ ବି ଭଲ ସ୍ଥାନ ପାଇଥିବାରୁ ଖୁସି ହୋଇ ତା' ବାପା ତାକୁ ଇଂଜିନିୟରିଂ ପଢେଇବା ପାଇଁ ରାଜି ହେଇଥିଲେ। ଶୋଭିତ୍ ର ବାପା ଜଣେ ସାଧାରଣ ସରକାରୀ କର୍ମଚାରୀ ଥିଲେ। ତା'ର ଇଂଜିନିୟରିଂ ନାମ ଲେଖା ପାଇଁ ଟଙ୍କାର ଅଭାବ ହେବାରୁ ସେ ନିଜ ସାତ ପୁରୁଷରୁ ଥିବା ଗାଁର ଜମି ବିକ୍ରି କରିଦେଇଥିଲେ। କେବଳ ମାତ୍ର ଏତିକି ଆଶାରେ ଗୋଟିଏ ବୋଲି ପୁଅ କେମିତି ଭଲ ପାଠ ପଢି ମଣିଷ ହେଇଯାଉ। ଶୋଭିତ୍ ବି ବାପାଙ୍କ ସ୍ବପ୍ନ ପୁରା କରିବାର ଲକ୍ଷ୍ୟ ନେଇ ନିଜ ସହର ଓ ପ୍ରିୟ ପରିଜନଙ୍କୁ ଛାଡ଼ି ଏଠି ହଷ୍ଟେଲରେ ରହି ପାଠ ପଢ଼ିବା ପାଇଁ ଆସିଛି ; ହେଲେ କିଏ ଜାଣିଥିଲା ତା'ର ଏ ସ୍ବପ୍ନ ପୁରା ହେବା ପୂର୍ବରୁ ଅମାବାସ୍ୟାର କାଳିମାରେ ହଜିଯିବ ବୋଲି।
ଗୋଟିଏ ସପ୍ତାହ କଲେଜ ହଷ୍ଟେଲରେ ଭାରି ଆରାମରେ ଆଉ ଶାନ୍ତିରେ ବିତିଗଲା। କିନ୍ତୁ ତା' ପରେ ଯାହା ଘଟିଲା ସେଥିରେ ଶୋଭିତ୍ ର ଜୀବନ ପୁରା ବଦଳି ଗଲା। ସପ୍ତାହକ ପରେ ହଷ୍ଟେଲରେ ସିନିୟର୍ ବ୍ୟାଚ୍ ପିଲାମାନେ ନୂଆ ଆସିଥିବା ପିଲାମାନଙ୍କୁ ସ୍ବାଗତ କରିବା ପାଇଁ ଏକ ଭୋଜି ଆୟୋଜନ କଲେ। ଏଥିରେ ସମସ୍ତେ ଖୁସିରେ ଅଂଶଗ୍ରହଣ କଲେ। ଏହି ଭୋଜିରେ ସିନିଅର ପିଲାମାନେ ପ୍ରଥମେ ନୂଆ ପିଲାମାନଙ୍କୁ ଗୋଟିଏ ଲେଖାଏଁ ଲାଲ ଗୋଲାପ ଉପହାର ଦେଲେ। ଏମିତି ବି ଆରମ୍ଭରୁ ଲାଲ୍ ଗୋଲାପ ଶୋଭିତ୍ ର ବହୁତ ପସନ୍ଦ। ସେ ସେହି ଗୋଲାପ ପାଇଁ ଖୁସିରେ ଆତ୍ମହରା ହେଇପଡିଲା। ଗୋଲାପର ବାସ୍ନା ଆଘ୍ରାଣ କରିବାକୁ ସେ ଯେତେବେଳେ ଶୁଙ୍ଘିଲା ତାକୁ କେମିତି ଗୋଟେ ଅଲଗା ଅଲଗା ଲାଗିଲା। ସେ ବାରମ୍ବାର ତାକୁ ଶୁଙ୍ଘିଲା। ତା' ପରେ କ'ଣ ହେଲା ଜଣାନାହିଁ।
ସକାଳୁ ସକାଳୁ ମୋହିତର ଡାକରେ ନିଦ ଭାଙ୍ଗିଲା ଶୋଭିତ୍ ର। ସେ ଉଠିବାକୁ ଚେଷ୍ଟା କରିଲା ହେଲେ ତା' ମୁଣ୍ଡ ଖୁବ୍ ଭାରି ଭାରି ଲାଗୁଥିଲା। ବହୁତ କଷ୍ଟରେ ସେ ଉଠି ବସିଲା ଓ ଦେଖିଲା ଘଣ୍ଟାରେ ନଅଟା ବାଜିଲାଣି। ଓଃ ଏତେ ଡେରି ହେଲାଣି, ମୁଁ ଶୋଇଛି। ସେପଟେ ସାର୍ଟ ପିନ୍ଧୁ ପିନ୍ଧୁ ମୋହିତ କହିଲା,"ହଁ ଜଲଦି ଉଠ। କ୍ଲାସ୍ ପାଇଁ ଡେରି ହେଲାଣି।" ଶୋଭିତ୍ କୁ ଟିକେ ଅଡ଼ୁଆ ଲାଗିଲା। ତଥାପି ନିତ୍ୟକର୍ମ ସାରି ସେ କଲେଜ ଯିବାକୁ ବାହାରିଲା। ତା' ମନକୁ ଗୋଟିଏ ପ୍ରଶ୍ନ ଆନ୍ଦୋଳିତ କରୁଥିଲା କାଲି ରାତିରେ କ'ଣ ସବୁ ଘଟିଲା???
କଲେଜରୁ କ୍ଲାସ ସାରି ଫେରିବା ପରେ ସେ ମୋହିତକୁ ଡାକି କାଲିର ଘଟଣା ସଂପର୍କରେ ପଚାରିଲା। ମୋହିତ ବି ପୁରା ବେପରୁଆ ଭାବେ କହିଲା, "କ'ଣ ହେବ କିଛି ନାହିଁ। ଭୋଜି ହେଲା, ନାଚ ଗୀତ ଆଉ ମଜା କରି ଆମେ ରୁମକୁ ଆସିଲେ। ସବୁଠୁ ଭଲ କଥା କ'ଣ ଜାଣିଛୁ ତୁ ତ କାଲି ଯେମିତି ନାଚିଲୁ ସମସ୍ତେ ପୁରା ଆଶ୍ଚର୍ଯ୍ୟ ହୋଇଗଲେ।" ଏକଥା ଶୁଣି ନିଜେ ଶୋଭିତ୍ ବି ଆଶ୍ଚର୍ଯ୍ୟ ହୋଇଗଲା। କାରଣ ସେ ନାଚ କ'ଣ ଜାଣିନି। ଆଗରୁ ସେ କେବେ ନାଚିଛି କାହିଁ ତା'ର ତ ମନେ ପଡୁନି। ସେ କିଛି ବୁଝିପାରୁ ନଥିଲା ତା' ସହ କ'ଣ ସବୁ ହେଉଛି।
ଏମିତି ଏକ ଭାରାକ୍ରାନ୍ତ ମନ ନେଇ ସେ ହଷ୍ଟେଲ ଛାତ ଉପରକୁ ଗଲା। ସେଠି ପୂର୍ବରୁ ତାଙ୍କ ଉପର ବ୍ୟାଚ୍ ର କିଛି ଛାତ୍ର ଉପସ୍ଥିତ ଥିଲେ। ସେମାନେ ଶୋଭିତ୍ କୁ ଆସିବା ଦେଖି ଟିକେ ଶଙ୍କି ଗଲେ। ସେମାନଙ୍କ ମଧ୍ୟରୁ ଜଣେ ବଡ଼ ପାଟିରେ ଚିତ୍କାର କରି କହିଲା, "ହେ କାହାକୁ ପଚାରି ଉପରକୁ ଆସିଲୁ। ତୁ ଜାଣିନୁ ଏଠି ଜୁନିଅର ପିଲାମାନେ ଉପରକୁ ଆସିବା ମନା।"ଶୋଭିତ୍ ଟିକେ ଡରିଯାଇ କହିଲା, " କ୍ଷମା...କରିବେ ଭାଇ , ମୁଁ ଜାଣି ନଥିଲି।" ଏତିକି କହି ସେ ଫେରି ଆସୁଥିବା ବେଳେ ଆଉ ଜଣେ ତାକୁ ପଛପଟୁ ଡାକି କହିଲା, "ଆରେ ତୁ ସେଇ ପିଲା ନା ଯିଏ ଭୋଜି ଦିନ ବଢ଼ିଆ ନାଚ କଲୁ।" ଏତିକି ଶୁଣୁଶୁଣୁ ଶୋଭିତ୍ ପୁଣି ଆଶ୍ଚର୍ଯ୍ୟ ହେଇଗଲା। ସତରେ କ'ଣ ମୁଁ ସେଦିନ........।ନା ନା ମୋର ତ କିଛି ମନେ ପଡୁନି। ଖୁବ୍ ବ୍ୟତିବ୍ୟସ୍ତ ହେଇ ପଡ଼ିଲା ଶୋଭିତ୍। କ'ଣ ସବୁ ହେଉଛି ମୋ' ସହ କିଛି ଜାଣି ପାରୁନି।
ଏତିକି ବେଳେ ଆଉ ଜଣେ ଆସି ତା'ର କାନ୍ଧରେ ହାତ ରଖିଲା। ବୁଲି ଚାହିଁଲା ଶୋଭିତ୍, ଆରେ ସତରେ ବହୁତ ଭଲ ନାଚିଲୁ। ଏଥର ଶୋଭିତ ସାହାସ ସଞ୍ଚୟ କରି କହିଲା," ଭାଇ ସେଦିନ ସେ ଫୁଲ ଶୁଙ୍ଘିଲା ପରେ ମୋ'ର କ'ଣ ହେଲା କିଛି ମନେ ନାହିଁ।" ଶୋଭିତ୍ ଠାରୁ ଏ କଥା ଶୁଣି ସମସ୍ତଙ୍କ ମୁହଁର ହସ କୁଆଡେ ଉଭେଇଗଲା। ସେମାନେ ପରସ୍ପରକୁ ଖାଲି ଅନେଇଲେ। ସତେ ଯେମିତି ବିରାଟ ବଡ ଗୁମର କଥା ପଚାରି ଦେଇଛି ଶୋଭିତ୍। କିଛି ସମୟ ନିରବ ରହିବା ପରେ ସେମାନଙ୍କ ମଧ୍ୟରୁ ଜଣେ ପଚାରିଲା," ତତେ ଭଲ ଲାଗିଲା କି?" ତାଙ୍କ ମୁହଁକୁ ଚାହିଁ କହିଲା,"ହଁ ମତେ ତ ଗୋଲାପ ବହୁତ ଭଲ ଲାଗେ। ହେଲେ ତା'ର ସୁଗନ୍ଧ ଅଲଗା ଅନୁଭବ ହେଲା।"
ସେମାନେ ପରସ୍ପରକୁ ପୁଣି ଚାହିଁ କହିଲେ,"ତୁ ଯଦି ଚାହିଁବୁ ତାହେଲେ ଆମେ ସେମିତି ଗୋଲାପ ତତେ ସବୁଦିନେ ଆଣି ଦେଇପାରିବୁ।" ହଁ,ତା ତ ଭଲ କଥା। ମତେ ଆଣିଦିଅ ; ହେଲେ ସେଇଟା ଅଲଗା କାହିଁ ଲାଗିଲା କହିଲେନି ତ।" ସେମାନଙ୍କ ମଧ୍ୟରୁ ଜଣେ ହସିହସି କହିଲା ତୁ ବୁଝିପାରିବୁନି ସେଇଟା ପରା ଆମ ସହର ଗୋଲାପ। ଏହାପରେ ସମସ୍ତ ହସିବାକୁ ଲାଗିଲେ। ଶୋଭିତ୍ ସରଳ ପ୍ରକୃତିର ହେଇଥିବାରୁ ସେ କିଛି ନ ବୁଝି ମଧ୍ୟ ହସି ସେଠାରୁ ଚାଲି ଆସିଲା।
ତା ପରଦିନ ଠାରୁ ସେହି ପିଲାମାନଙ୍କ ମଧ୍ୟରୁ ଜଣେ ସବୁଦିନ ଆଣି ଗୋଟିଏ ଲେଖାଏଁ ଲାଲ ଗୋଲାପ ଶୋଭିତ୍ କୁ ଦେଇଯାଏ। ସେ ବହୁତ ସମୟ ଧରି ସେ ଫୁଲକୁ ଶୁଙ୍ଘେ।ଏକ ଅଜବ ଅନୁଭବ ହୁଏ ତାକୁ। ମୋହିତ ଅନେକ ଥର ମନା କରିଛି ସେ ଫୁଲ ନ ଶୁଙ୍ଘିବାକୁ। କାଳେ କିଛି କୀଟ ସେଥିରେ ଥିବେ ବୋଲି ; ହେଲେ ସେ ଏତେ ଅଭ୍ୟସ୍ତ ହେଇଯାଇଥିଲା ଯେ ସେ କିଛି ବି ଶୁଣୁ ନଥିଲା। ଏହି ପ୍ରକ୍ରିୟା ମାସ ମାସ ଧରି ଚାଲିଲା। କୌଣସି ଦିନ ଫୁଲ ମିଳିବା ଡେରି ହୋଇଗଲେ କି ନ ମିଳିଲେ ସେ ପୁରା ପାଗଳ ହେଇଯାଉଥିଲା। ସେ ସାଙ୍ଗେ ସାଙ୍ଗେ ଯାଇ ସେହି ପିଲାମାନଙ୍କ ପାଖରେ ପହଞ୍ଚି ଯାଉଥିଲା।ଏବେ ତ ସେମାନେ ଫୁଲ ବାବଦକୁ ତା' ଠାରୁ ଟଙ୍କା ଆଦାୟ କରିବା ଆରମ୍ଭ କରି ଦେଇଥିଲେ।
ଏମିତି ଧିରେ ଧିରେ ତା' ପାଠପଢାରେ ମଧ୍ୟ ବ୍ୟାଘାତ ସୃଷ୍ଟି ହେଲା। ବିଦ୍ୟାଳୟ ସମୟରୁ ଭଲ ଛାତ୍ର ଥିବା ଶୋଭିତ୍ କୁପଥଗାମୀ ହୋଇ ସାରିଥିଲା। ତା'ର ଅଜାଣତରେ ସେହି ପିଲାମାନେ ତାକୁ ଏକ ଧ୍ବସଂ ପଥର ପଥିକ ସଜାଇ ସାରିଥିଲେ। ଏଥିପାଇଁ ଶୋଭିତ୍ ଅନେକ ଟଙ୍କା ଖର୍ଚ୍ଚ କରିସାରିଥିଲା ଆଉ ନିଜ ଲକ୍ଷ୍ୟ ମଧ୍ୟ ସେ ଭୁଲି ସାରିଥିଲା।
ଏମିତି କିଛି ମାସ ଯିବା ପରେ ଦିନେ ହଠାତ୍ ଆଉ ଲାଲ୍ ଗୋଲାପ ମିଳିବନି ବୋଲି ସିଧା ମନା କରିଦେଲେ ସେମାନେ। ଖୁବ୍ ବ୍ୟସ୍ତ ହେଇ ପଡ଼ିଲା ଶୋଭିତ୍। ବହୁତ କାକୁତି ମିନତି କଲା ; ହେଲେ କେହି ଶୁଣିଲେ ନାହିଁ। ଶେଷରେ ନିରାଶ ହେଇ ସେ ନିଜ ରୁମକୁ ଆସିଲା। ତାକୁ କିଛି ଭଲ ଲାଗୁ ନ ଥାଏ। ଛୁଟି ଥିବାରୁ କଲେଜ ନ ଯାଇ ସେ ଶୋଇବାକୁ ଚେଷ୍ଟା କରୁଥିଲା ; କିନ୍ତୁ ସେ ଶୋଇ ପାରିଲାନି। ବେଳକୁ ବେଳ ତା'ର ଦେହ ଖରାପ ହେବାକୁ ଲାଗିଲା। ସେ ପୁରା ଅଣନିଃଶ୍ବାସୀ ହେଇ ଯାଉଥିଲା। ପାଗଳ ପ୍ରାୟ ସେ ଘର ସାରା ବୁଲି ଭାରି କଷ୍ଟ ପାଉଥିଲା। ମଝିରେ ମଝିରେ ସେ ଚିତ୍କାର କରି କାନ୍ଦି ପକାଉଥିଲା।
ଶୋଭିତ୍ ର ଏକ ଅବସ୍ଥା ଦେଖି ମୋହିତ କିଛି ବୁଝିପାରୁ ନଥିଲା। ସେ ବହୁତ ଚେଷ୍ଟା କରି ବି ତାକୁ ଆୟତ୍ତ କରିପାରିଲା ନାହିଁ। ଶେଷରେ ବାଧ୍ୟ ହେଇ ହଷ୍ଟେଲ ପରିଚାଳନା ଦାୟିତ୍ବରେ ଥିବା ସାର୍ ଙ୍କୁ ଜଣାଇଲା। ସେ ତୁରନ୍ତ ଆମ୍ବୁଲାନ୍ସରେ ତାକୁ ଡାକ୍ତରଖାନା ନେଲେ। ଶୋଭିତ୍ ର ଘରକୁ ଖବର ଗଲା। ଖବର ପାଇ ତା'ର ବାପା ,ମା' ,ଦାଦା ସମସ୍ତେ ଆସି ଡାକ୍ତରଖାନାରେ ପହଞ୍ଚିଲେ। ସେତେବେଳକୁ ଶୋଭିତ୍ ର ଚିକିତ୍ସା ଆରମ୍ଭ ହେଇସାରିଥିଲା। କିନ୍ତୁ ପ୍ରାଥମିକ ପର୍ଯ୍ୟାୟର ରକ୍ତ ପରୀକ୍ଷା ରିପୋର୍ଟ ଆସିବା ପରେ ଯାହା ଜଣାପଡିଲା ସେଥିରେ ସମସ୍ତେ ପୁରା ହତବାକ୍ ହେଇ ପଡ଼ିଲେ। ସତେ ଯେମିତି ଆକାଶଟା ତାଙ୍କ ଉପରେ ଖସି ପଡିଲା।
ଶୋଭିତ୍ ର ରକ୍ତ ପରୀକ୍ଷାରୁ ଜଣାପଡିଲା ଯେ, ସେ ଡ୍ରଗ୍ସ୍ ସେବନ କରୁଛି। ଅତ୍ୟଧିକ ଡ୍ରଗ୍ସ୍ ଯୋଗୁଁ ତା'ର କିଛି ଆଭ୍ୟନ୍ତରୀଣ ଅଙ୍ଗ ମଧ୍ୟ ଖରାପ ହେବାକୁ ଲାଗିଲାଣି। କେହି ବିଶ୍ବାସ କରିପାରୁ ନ ଥିଲେ ଶୋଭିତ ଭଳି ଶାନ୍ତ ସରଳ ପିଲା ପୁଣି ଡ୍ରଗ୍ସ୍ ସେବନ କରୁଛି !! ଘଟଣାର ସତ୍ୟତା ଜାଣିବା ପାଇଁ ଯେତେବେଳେ ହଷ୍ଟେଲର ପରିଚାଳକ ମୋହିତକୁ ଏ ବିଷୟରେ ପଚାରିଲେ ସେ ଶୋଭିତ୍ ସେମିତି କିଛି ନିଶା ସେବନ କରୁଥିବା କଥା ସେ ଜାଣିନି ବୋଲି କହିଲା ; ହେଲେ ପ୍ରତ୍ୟେକ ଦିନ ସେ ଗୋଟିଏ ଲାଲ୍ ଗୋଲାପ ବହୁତ ସମୟ ଧରି ଶୁଙ୍ଘିବାର ସେ ଦେଖିଛି ଆଉ ଏ ଗୋଲାପ ସେ ସିନିଅର ଭାଇମାନଙ୍କ ପାଖରୁ ଆଣୁଥିବାର ସେ ସୂଚନା ମଧ୍ୟ ଦେଲା।
ଏବେ ଖୋଜା ଚାଲିଲା ସେଇ ପିଲାମାନଙ୍କୁ ଯିଏ ସେ ଗୋଲାପ ଆଣି ଦେଉଥିଲେ। ସମସ୍ତଙ୍କୁ ଠାରୁ ତଥ୍ୟ ସଂଗ୍ରହ ପରେ ଧରା ପଡିଲେ ସେଇ ଚାରି ଜଣ ପିଲା ଯେଉଁମାନେ ଶୋଭିତ୍ କୁ ସେଇ ଗୋଲାପ ଆଣି ଦେଉଥିଲେ ଏବଂ ବାରମ୍ବାର ପଚାରିବା ପରେ ସତ ମାନିଥିଲେ ଯେ ସେଇ ଲାଲ ଗୋଲାପରେ ଡ୍ରଗ୍ସ୍ ଭରି ସେମାନେ ଶୋଭିତ୍ କୁ ଦେଉଥିଲେ। ଏହାପରେ କଲେଜ କର୍ତ୍ତୃପକ୍ଷଙ୍କ ସହାୟତାରେ ସେ ପିଲାମାନଙ୍କୁ ପୋଲିସ ହେପାଜତରେ ଦିଆଗଲା ଓ ସମସ୍ତ ଘଟଣାର ତଦନ୍ତ ଆରମ୍ଭ ହେଲା।
ଶିକ୍ଷାନୁଷ୍ଠାନ ଭଳି ଏକ ପବିତ୍ର ସ୍ଥାନରେ ଏଭଳି ଘଟଣା ନିନ୍ଦନୀୟ ଅଟେ। ଏମିତି ଅନ୍ୟର ବିଶ୍ବାସରେ ବିଷ ଦେଇ ଠକୁଥିବା ଛାତ୍ରମାନଙ୍କ ଠାରୁ ସମସ୍ତେ ଦୁରେଇ ରହିବା ଉଚିତ୍। ଶୋଭିତ୍ ଆଜି ହସ୍ପିଟାଲରେ। ମାତ୍ରାଧିକ ଡ୍ରଗ୍ସ୍ କାରଣରୁ ତା'ର ଗୋଟିଏ କିଡନୀ ଓ କିଛି ଶିରା ପ୍ରଶିରା ବି ପୁରା ନଷ୍ଟ ହେଇଯାଇଛି। ଏବେ ସେ ଜୀବନ ମରଣର ଦୋ ଛକିରେ ଠିଆ ହୋଇଛି। ବାପା ମା'ଙ୍କ ସ୍ବପ୍ନ ସାକାର କରିବା ପାଇଁ ସହର ଆସିଥିବା ଶୋଭିତ୍ ର ସବୁ ସ୍ବପ୍ନ ଧୂଳିସାତ୍ ହୋଇଯାଇଛି।
ଶୋଭିତ୍ ଭଳି ଅନେକ ସରଳ ବିଶ୍ୱାସୀ ପିଲାମାନେ ଆଜି ବି ଏମିତି ଡ୍ରଗ୍ସ୍ ମାଫିଆଙ୍କ କବଳରେ ପଡ଼ି ନିଜ ଜୀବନ ଓ ଭବିଷ୍ୟତକୁ ଅନ୍ଧକାର ଭିତରେ ହଜେଇ ଦେଉଛନ୍ତି। ତେଣୁ ନିଜେ ସତର୍କ ହେଇ ଅନ୍ଧଭାବେ ଅନ୍ୟକୁ ବିଶ୍ଵାସ କରିବା ଅପେକ୍ଷା କିଛି କରିବା ପୂର୍ବରୁ ଅନେକ ଥର ଚିନ୍ତା କରିବା ବୁଦ୍ଧିମାନର କାମ।
ନିବେଦିତା ମହାପାତ୍ର
ପରିଚାଳନା ସମ୍ପାଦିକା - ପ୍ରୀତି ପ୍ରଣତି
ମୁକୁନ୍ଦ ମିଶ୍ର ନଗର , ପୁରୀ


0 Comments